Unknown

 

 

 

 

 

 

 

 

 

ଅର୍ଦ୍ଧାଙ୍ଗ-ପକ୍ଷୀ

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ

 

(ନଟବାଣୀ)

 

ନିଦାରୁଣ କାଳ-ବ୍ୟାଧ ଶର ବାଜି,

ରେ ପକ୍ଷି ତୋ ବାମ ଡେଣା ଗଲା ଭାଜି ।

ପାରୁ ନାହୁଁ ଉଡ଼ି ହୋଇଛୁ ଅକ୍ଷମ,

ଆର ଡେଣା ଆହା ହେଲା କି ଜଖମ ।

ଚଳନ ଶକତି ହୋଇଛି ରହିତ,

କରି ପାରୁ ନାହୁଁ ଖାଦ୍ୟ ସଂଗୃହୀତ ।

ଯେଉଁ ଡାଳେ ବସି ଲଭିଲୁ ଆଘାତ,

ତହୁଁ ଘୁଞ୍ଚି ତିଳେ ନୋହୁ ଆତଯାତ ।

ନ ଛୁଇଁଲେ ଫଳ ଜଳ ଯିବୁ ସରି,

ଶାବଳ ଗୁଡ଼ିକ ରହିବେ କିପରି ?

ଡାଳେ ବସି ଶୋକେ ହେଉ ଟଳମଳ,

ଶାବକମାନଙ୍କ ଦେଖିଣ ବିକଳ ।

ମାୟାମୋହେ ବହି ଦୁର୍ବାର ପିପାସା,

ପୋଷିଥିଲୁ ପ୍ରାଣେ, ଅହୋ କି ଦୁରାଶା ।

କରୁଅଛୁ ସହ୍ୟ ଖରା ବର୍ଷା ଶୀତ,

ଅଟେ ତୋ ଜୀବନ ପାଷାଣେ ପିହିତ ।

ନିୟତି ନିୟମ ଅଟେ ଅନିବାର୍ଯ୍ୟ,

କରନ୍ତି ସକଳେ ତାହା ଶିରୋଧାର୍ଯ୍ୟ ।

ହେଉ ମହାଯୋଗୀ ହେଉ ମହାଜ୍ଞାନୀ,

ଚଳିବାକୁ ବାଧ୍ୟ ତାହା ଆଜ୍ଞା ମାନି ।

ନ କର ରେ ପକ୍ଷି ବୃଥା ଚିନ୍ତା ମନେ,

ଭବିତବ୍ୟ ନିଶ୍ଚେ ଭୁଞ୍ଜିବୁ ଜୀବନେ ।

କଅଁଳିବ ନାହିଁ ତୋର ଛିନ୍ନ ପକ୍ଷ,

ଯିବ ନାହିଁ ଯୋଡ଼ି ବିଚୂର୍ଣ୍ଣିତ ବକ୍ଷ ।

ଦୁରନ୍ତା ପ୍ରକୃତି ନିଏ ଯା ଛଡ଼ାଇ,

ଦିଏ ନାହିଁ ତାହା କେବେ ବାହୁଡ଼ାଇ ।

ଘଟିବ ତୋ ଭାଗ୍ୟେ ଅବଶ୍ୟ ନିଧନ,

ହେବ ସବୁବ୍ୟଥା ସେ ଦିନ ହରଣ ।

ନ ଡର ତୁ ଦେଖି ମୃତ୍ୟୁ ବିଭୀଷିକା,

ସରିଯିବ ଦିନେ ତୋର କିଣା ବିକା ।

ଆସିଛୁ ଯେସନ ଯିବୁ ତୁ ତେସନ,

ଶୂନ୍ୟ ଦେହେ ଭରି ଶୂନ୍ୟ ଆଭରଣ ।

ବସିଛୁ ଯେ ବୃକ୍ଷେ ତାହା ଫଳ ଖାଇ,

ବଞ୍ଚିଥା ରେ ପକ୍ଷି କେତେଦିନ ପାଇଁ ।

ଇଚ୍ଛାମତେ ପ୍ରାଣ ନ ଯାଏ ବାହାରି,

କିପାଁ ହେଉ ଭଲା ବୃଥା ଶୋକେ ଘାରି ।

ମୃତ୍ୟୁ ଲାଗି ଜନ୍ମେ ଜୀବ ଏ ଭବରେ,

ଜନ୍ମ ପାଇ ପୁଣି ଯଥାକାଳେ ମରେ ।

ଜନ୍ମ ଲାଗି ସିନା ମୃତ୍ୟୁର ବିଧାନ,

ମୃତ୍ୟୁ ସେହିପରି ଜନମ ନିଦାନ ।

ଦେଖୁଛି ସଂସାରେ ଯାତ୍ରା ଆସି ଜୀବ,

ଯାତ୍ରା ଭାଙ୍ଗିଗଲେ କେଣେ ଚାଲିଯିବ ।

ବିଚରଣଶୀଳ ଜୀବାତ୍ମା ତପସ୍ଵୀ,

ଶରୀର ମଧ୍ୟରେ ଥାଏ ଧ୍ୟାନେ ବସି ।

ଲୁଚିଯାଏ ପୁଣି ଖରେ ତପଶେଷେ,

କେଉଁ ଅନାମୟ ଅଜ୍ଞାତ ପ୍ରଦେଶେ ।

ଅମୃତ ସମାନ ମଣୁ ତୁହି ଯାହା,

କାଳେ ବିଷଗୁଣ ଧରିବଟି ତାହା ।

ଅନିତ୍ୟ ବନ୍ଧନ ଅନିତ୍ୟ ସଂସାର,

ନିତ୍ୟ ବୋଲି ତାହା ଭ୍ରମେ ନ ବିଚାର ।

ଅନିତ୍ୟ ଜୀବନ-ପଦ୍ମପତ୍ରେ ନୀର,

ସଦା ଢଳଢଳ ନୁହେ କେବେ ସ୍ଥିର ।

ଜୀବନ-ଯାତ୍ରୀର ବସାଘର ଦେହ,

ନିରର୍ଥକ ଅଟେ ସେ ଘରର ସ୍ନେହ ।

କିପାଁ ଯାତ୍ରୀ ତହିଁ ରଖିବ ମମତା,

ଗୃହୀ ହେବାର ତ ନାହିଁ ତା କ୍ଷମତା ।

କେବେହେଁ ନୁହେ ସେ କାହାର ଆୟତ୍ତ,

ଅଜ୍ଞାତ ଅଟେ ତା ଗତାଗତ ପଥ ।

ବାମ ଡେଣାଖଣ୍ଡି ଦେଇଛି ଯେ କାଟି,

ରଖିବ ନାହିଁ ସେ ଦକ୍ଷିଣ ଡେଣାଟି ।

ବାରୁଣ କାଳର ବିକ୍ରମ ଅକଳ,

ଅରକ୍ଷିତେ ଆସି କରେ ସେ କବଳ ।

କାମ-କ୍ରୋଧ-ମୋହ-ମମତା-କଳରେ,

ଚଳାଏ ସେ ସଦା ମାନବନିକରେ ।

କାମନାରହିତ ଆରାଧନା କର୍ମ–

ବିନା ନାହିଁ ଆନ ଏ ଜୀବର ଧର୍ମ ।

କର୍ମ କଲେ ବୁଝି ତା ସାର ମୃରମ,

ବିଶ୍ରାମ ନେବାକୁ ମିଳେ ସୁଖାଶ୍ରମ ।

ନାହିଁ ଗତି ତିଳେ ଗତି ଜନ୍ମଫଳେ,

ଯଥା ବୀଜ ତଥା ଫଳ କାଳେ ଫଳେ ।

ଡାଳେ ବସି ପକ୍ଷୀ ନ ଘୁମାଅ ଆଉ,

ଝାମ୍ପିନେବ ଊର୍ଦ୍ଧ୍ଵୁ ମୃତ୍ୟୁ-ଦୂତ-କାଉ ।

ଫଳପାଇଁ ଯେଉଁ ବୃକ୍ଷେ ତୋର ବସା,

ଘଟିଲା କାହିଁକି ସେ ବୃକ୍ଷେ ଏ ଦଶା ?

ଫଳ ଆଶାବଶେ କେତେ କେତେ ପ୍ରାଣୀ,

ମୋହ-ମହୀରୁହେ ଉଠନ୍ତି ନ ଜାଣି ।

ମର ଦେହେ କରି ପାରିଲେ ସାଧନା,

ଛୁଇଁ ନ ପାରିବ ସଂସାର ଯାତନା ।

ନ ଚିହ୍ନି ରସାଳ-ଭ୍ରମେ ଭୁଲିଯାଇ,

ଦେଲୁ ମାରାତ୍ମକ କୋଚିଳାକୁ ଖାଇ ।

କି ସୁନ୍ଦର ଭବ ମହାକାଳ ଫଳ,

ତା ରଙ୍ଗେ ଭୁଲିଲେ ହେବଟି ନିଷ୍ଫଳ ।

ବାସନାକୁ ନ ଦେ ହୃଦ ମଧ୍ୟେ ସ୍ଥଳ,

ଅଟେ ତାହା ସିନା ପ୍ରଚଣ୍ଡ ଅନଳ ।

ବିନା ଆମନ୍ତ୍ରଣେ ଦୁଷ୍ଟ ଚିନ୍ତା ଆସି,

ଦେହେ ମିଶି ହେବ ମନ ପଦେ ଦାସୀ ।

ପରଶିଲେ ତାହା ନ ଛାଡ଼ିବ ଆଉ,

ବେଳକାଳ ବୁଝି ସାଧିବ ସେ ଦାଉ ।

ତାହା କୁହୁକରେ ଭୁଲିବୁ ଯେତିକି,

ଭୁଲଇବ ତୋତେ ସର୍ବଦା ତେତିକି ।

ସେହି କୁହୁକିନୀ-କୁହୁକ-ଜାଲରେ,

ପ୍ରାଣି- ମୀନ ମରେ କି କଲବଲ ରେ ।

ଆଶାର ଭଣ୍ଡାର ଅଟେ ଅକଳିତ,

ଯହିଁରେ ଅନୃତ ସମ୍ପତ୍ତି ଗଚ୍ଛିତ ।

ସେ ସମ୍ପଦେ ମନ ବଳିଯାଏ ଯାର,

କେଉଁକାଳେ ତାର ନାହିଁ କି ନିସ୍ତାର ।

ଭବ ହାଟେ ବାଟେ ସର୍ବତ୍ର ଆଶାର,

ଲାଗିଥାଏ କିଣା ବିକା କାରବାର ।

ତା ବିପଣି ପ୍ରତି କ୍ଷଣେ ଯେ ଆକୃଷ୍ଟ,

ନୋହିଛି ଏ ଭବେ ତସ ଏକା ଉତ୍କୃଷ୍ଟ ।

ଅଶାଠାରେ ଜଳ ସ୍ଥଳ ଭେଦ ନାହିଁ,

ପାରଇ ସେ ଜଳେ ଶକଟ ଚଳାଇ ।

ଥିଲୁ ତ ସୁଖରେ, କାହିଁକି ଏସନ

ଆଶା-ଜାଲେ ପଡ଼ି ହେଲୁ ଅବସନ୍ନ ।

ଫଳରେ ଅଶାରେ ଆସି ବୃକ୍ଷେ ବସି

ହୀନ ହେଲୁ ସିନା ଏ ବନରେ ପଶି ।

ହେଲେ ତୁହି ଦୁଷ୍ଟା ଆଶାର ଅଧୀନ,

ଭୁଞ୍ଜିବୁ ଅପାର କଷ୍ଟ, ହେବୁ ଦୀନ ।

ତାର ତନ୍ତ୍ରମନ୍ତ୍ରେ ହୋଇଣ ଦୀକ୍ଷିତ

ପ୍ରାଣିଏ ହୁଅନ୍ତି ସୁଖରୁ ବଞ୍ଚିତ ।

ଚିହ୍ନି ନ ପାରିଲୁ ତାକୁ ମୂଢ଼ମତି,

ଚିହ୍ନିଥିଲେ କିପାଁ ହୁଅନ୍ତା ଦୁର୍ଗତି ।

ତା ସମ୍ପର୍କ ଦୋଷୁଁ ସବୁ ଦିଶେ ଭଲ,

ପୁଣି ପରକ୍ଷଣେ କରେ କଲବଲ ।

ଅଶା-କଣ୍ଟାପଥେ ହୋଇଲେ ପଥିକ,

ହୋଇଯ। ଏ କ୍ଷତ ଶରୀରେ ଅଧିକ ।

ଏହି ଭୟଙ୍କର ଭଙ୍ଗୁର ସଂସାରେ

ଆଶା-ଛାଟ ପୃଷ୍ଠେ ବାଜେ ବାରେ ବାରେ ।

ପକ୍ଷି, ତୁହି ଦମ୍ଭେ ଥାଅ ସଂଯମରେ,

ସଂଯମରେ କାର୍ଯ୍ୟ ହେବ ଏ ଜନ୍ମରେ ।

ସଂଯମ-ରତ୍ନଟି ପାରୁ ଯଦି ସଞ୍ଚି,

ଜରା ଶୋକ ମୃତ୍ୟୁ ମୁଖୁଁ ଯିବୁ ବଞ୍ଚି ।

ବାଧା ହ୍ରାସ ହେଲେ ଆର ଡେଣା ଯୋଗେ

ହେବ କି ନିର୍ବାହ କାର୍ଯ୍ୟ ମନ ଯୋଗେ ।

ଉଡ଼ି ନ ପାରୁ ତ ଏ ଡାଳୁଁ ସେ ଡାଳ,

ସମାଧିସ୍ଥ ଯୋଗୀ ପରି ଯାପ କାଳ ।

ଯେଉଁ ଗଛେ ଅଛୁ ସେ ଗଛୁ ଆନନ୍ଦ–

ଭରେ ବଞ୍ଚିଥାଅ ପିଇ ମକରନ୍ଦ ।

ମହାକାଳ ବଳ ଝଟିକା ପ୍ରତୁଳ,

ଝୁଙ୍କି ଦେବଟି ତୋ ବସା-ତରୁମୂଳ ।

ରେ ଅର୍ଦ୍ଧାଙ୍ଗ ପକ୍ଷି ! ଥାଅ ତୁ ଜାଗ୍ରତେ,

ଜଗିଛନ୍ତି ଅରିକୁଳ ଅବିରତେ ।

ପାଇ ନାହିଁ କାଳ-ସର୍ପ ଅବସର,

ନୋହିଲେ କରନ୍ତା କେତେ ହରବର ।

ମହା ମହା ଯୋଗୀ କେତେ କେତେ ବଳୀ

ଦେଉଛନ୍ତି ତାର ମୁଖେ ଆତ୍ମାବଳି ।

କାହାକୁ ସେ ଛାଡ଼ି ନାହିଁ ଏ ଜଗତେ,

ଛାଡ଼ିବ କି ତୋତେ, ନାହିଁ ତାକୁ ପ୍ରତେ ।

ଜଞ୍ଜାଳ-ଜାଲରେ ସେ କାଳ-ଧୀବର

ଜୀବନ-ମୀନକୁ କରେ ହରବର ।

ନେତ୍ରେ ଜ୍ଞାନାଞ୍ଜନ ଦେଇ କଲେ ଥୟ,

ଗୁପ୍ତେ ଲୁପ୍ତ ହେବ ଲୟପ୍ରାପ୍ତ ଭୟ ।

ହତାଶ ବଶରେ ହୋଇଲେ ଅଥୟ,

ଯନ୍ତ୍ରଣା-ବାତାସେ ବୃକ୍ଷ ହେବ କ୍ଷୟ ।

ସୁଖ ନୁହେ ସୁଖ, ଦୁଃଖ ନୁହେ ଦୁଃଖ,

ସମଭାବେ ଭୁଞ୍ଜ ନୋହି ତୁ ବିମୁଖ ।

ସୁଖକୁ ଲୋଡ଼ିଲେ ଦେବ ଦେଖା ଦୁଃଖ,

ନ ଉଚ୍ଚାର ମୁଖେ ଆଉ ସୁଖ ସୁଖ ।

ଦୁଃଖମୟ ଭବେ ସୁଖ ନାହିଁ ଲବେ,

ତେଜ ସୁଖ ଆଶା ଏକାବେଳେ ଯବେ ।

ଡେଣାଟି ନ ଦେଖି ନୁହ ସନ୍ତାପିତ,

କାହୁଁ ବା ପାଇବୁ ସେ ଅସମ୍ଭାବିତ ।

ଏ ଜୀବନେ ଅଟେ ଅସମ୍ଭବ ଯାହା,

ପ୍ରାପ୍ତ୍ୟାଶା ତାହାର ବୃଥା ସିନା ହା ହା ।

ଯାହା ଅର୍ଜିଅଛୁ ତାହା ହେବ ଭୋଗ,

ହେଉ ପଛେ ତାହା ମାରାତ୍ମକ ରୋଗ ।

ମର୍ମବ୍ୟଥା ଲାଗି ନ କହିଲେ କଥା,

ମୂକ ହୋଇଣ କି ରହିବୁ ସର୍ବଥା ।

କର୍ମଫଳେ ଜୀବ କରଇ ଭ୍ରମଣ,

ଅକର୍ମ ସେବାରେ ବୃଥା ଶ୍ରମପଣ ।

ମାୟାର ଘୂର୍ଣ୍ଣନେ ହୋଇଣ ଘୂର୍ଣ୍ଣିତ,

ମୋକ୍ଷଲାଭାଶାରୁ ନ ହୁଅ ବଞ୍ଚିତ ।

ଆଗମ ନିଗମ ସୁଗମ ପରମ–

ଭାବଯୁକ୍ତ କାର୍ଯ୍ୟ ଅଟଇ ଉତ୍ତମ ।

ବିଷୟ-କାନ୍ତାରେ ବଣା ନୁହ ଆଉ,

ସମ୍ବଳ ସଂଗ୍ରହ ବେଳ ଥାଉ ଥାଉ ।

ବାସନା-କୁସୁମେ ସୁଧାଭ୍ରମେ ବସି

ବିଷ ପାନ କଲେ ପଡ଼ିବୁଟି ଖସି ।

ଛାଗଳସ୍ୱରୂପ ଅଟେ ଅପଘନ,

କାଳ-ଶାର୍ଦ୍ଦୂଳର ସୁପ୍ରିୟ ଅଶନ ।

ଦେହ ପ୍ରତି ଆଉ ରଖିଲେ ମମତା,

ରହିବ ନାହିଁ ତ ନିଜ ସ୍ଵାଧୀନତା

ଶରଣରକ୍ଷଣ ବାନା ଉଡ଼େ ଦେଖ, .

ମୁକ୍ତି ପାଉଛନ୍ତି ତୋ ପରି ନିରେଖ ।

ଡାକ ଡାକ ପକ୍ଷି ଉଚ୍ଚନାଦ କରି,

ପରମପିତାଙ୍କୁ ଭକ୍ତିଭରେ ସ୍ମରି ।

ଭକ୍ତି-ବାରି ଭରି ହୃଦ- ସରୋବରେ

ଫୁଟାଅ ଭକତି-କମଳ ସବୁରେ ।

ଅଚିନ୍ତ୍ୟ ଅବ୍ୟକ୍ତ ପ୍ରଭୁ ନିରଞ୍ଜନ

ବିନା କେ କରିବ ଏ ଦୁଃଖ ଭଞ୍ଜନ ।

ସେ ଏକା ବରେଣ୍ୟ, ସେ ଏକା ଶରଣ୍ୟ,

ତାଙ୍କ ପଦତଳେ ପଶ ତୁ ଶରଣ ।

ଅଗତିର ଗତି ଜଗତର ପତି,

ସାଧୁଙ୍କର ସଦା ପକ୍ଷପାତୀ ଅତି ।

ଦୟା କରିବେଟି ତୋତେ ଦୟାମୟ,

ଭଜ ଭଜ ଶୀଘ୍ର ପାଇବୁ ଅଭୟ ।

ନିଶ୍ଚେ ଏକା ଏକାକ୍ଷରୀ ନାମ-ଜଳ

ସେଚନେ ଲିଭିବ ସନ୍ତାପ-ଅନଳ ।

ଅମର-ବନ୍ଦିତ-ପଦକୁ ସ୍ମରଣ–

କରି କରି ଦୂର ଏ ଘୋର କଷଣ ।

ମାତା ପିତା ଦାରା ସୁତ ସହୋଦର,

କେହି ନୁହେ କାର, ଜାଣ ତୁ ନିକର ।

ନାଶିବାକୁ ଘୋର କଳୁଷର ଦାଉ

ଏକାକ୍ଷରୀ ନାମ ବିନା ନାହିଁ ଆଉ ।

ସ୍ମର ସେ ନାମକୁ ବିଳମ୍ବ ନ କର,

ବିଳମ୍ବରେ କାର୍ଯ୍ୟ ହେବ ତ ଦୁଷ୍କର ।

ଯତ୍ନ କରି ରଖିଥିବାରୁ ଏବୁଁ ଯାହା,

କାଳେ କାର୍ଯ୍ୟକର ହୋଇବଟି ତାହା ।

ସ୍ମର ସ୍ମର ପକ୍ଷି କୃପାକୂପାରକୁ,

ସେହି ଏକା ତରୀ ଦୁଃଖାବ୍ଧିପାରକୁ ।

ନାହିଁ ନାହିଁ ଆଉ ବିଳମ୍ବରେ କାର୍ଯ୍ୟ,

ବିଳମ୍ବେ ଯନ୍ତ୍ରଣା ହେବ ଅନିବାର୍ଯ୍ୟ ।

ଥାଉଁ ଥାଉଁ ଚେତା ସେ ପ୍ରଭୁଙ୍କଠାରେ

ତନୁ ପ୍ରାଣ ଅର୍ପି ଲାଗ ତୁ ସେବାରେ ।

ବଞ୍ଚାନିଧି ବାଞ୍ଛା କରିବେ ପୁରଣ,

ବିଷୟ-ବିଷକୁ କରିଣ ହରଣ ।

ସମର୍ପିବୁ ଯଦି ତାଙ୍କୁ ପଦେ ମତି,

ପଶି ନ ପାରିବ କାଳ ତୋର କତି ।

ଭରସାର ସ୍ଥଳ ସେ ପଦ-କମଳ,

ଅସହାୟଙ୍କର ସହାୟ କେବଳ ।

ପତିତପାବନ ମୋକ୍ଷର ସଦନ,

ଦୁଃଖିର ଅମୂଲ୍ୟ ପଣତରତନ ।

କୃପାସିନ୍ଧୁ ହରି ଶୁଣିବେ ଗୁହାରି,

ଏ ସନ୍ତାପ-ସିନ୍ଧୁ ହୋଇଯିବୁ ପାରି ।

ପରୀକ୍ଷାର୍ଥୀ ତୁହି, ପରୀକ୍ଷା ଯାତନା

ପାଇଲେହେଁ ତାହା ନ କର ଶୋଚନା ।

ବାଲ୍ୟକାଳେ ବିଦ୍ୟାଭ୍ୟାସ କଷ୍ଟ ପରି,

ହରି ସେବା ଆଗ ଆଗ କଷ୍ଟକରୀ ।

ସେ ନାମ ସ୍ମରଣ ବିନା ନାହିଁ ଗତି,

ସେ ନାମେ ସର୍ବଦା ରଖିଥାଅ ମତି,

ସେ ନାମାମୃତରେ ନଶ୍ୱର ଜୀବନେ

ଅମର ଜୀବନ ଅର୍ଜ୍ଜୁଛନ୍ତି ଜନେ ।

ପାନ କଲେ ଏକାକ୍ଷରୀ-ନାମ-ସୁଧା,

ପୀଡ଼ିବ କି ଆଉ ଭୟ ମାୟା-କ୍ଷୁଧା ।

ମମତା ମାୟାରେ ହୋଇ ବିଜଡ଼ିତ,

ଡେଣାପାଇଁ ଆଉ ନୁହ ସନ୍ତାପିତ ।

ଏ ବିଶାଳ ମହାଭବ-ବନେ ଏକ–

ଡେଣାକଟା ପକ୍ଷୀ ଅଛନ୍ତି ଅନେକ ।

ହୋଇଯାଅ ସାଥି ସେମାନଙ୍କ ତୁଲେ,

ଅନୁତାପାନଳେ ନ ଛୁଅଁ ରେ ଭୁଲେ ।

ବେଳ ଅବସାନ ଆସି ହୋଇଲାଣି,

ମନ ବଳୁ ନାହିଁ ନେବାକୁ ମେଲାଣି ।

ତୋହର ବିପନ୍ନ ଦଶା ଦେଖି ସତେ,

ମୁହିଁ ଭୁକ୍ତଭୋଗୀ ବୋଲି ହୁଏ ପ୍ରତେ ।

ସୁଗୁଣ ଦୁର୍ଗୁଣ ସଂସର୍ଗବଶରେ

ଆସିଯାଏ ଆପେ ଆପେ ସ୍ଵଭାବରେ ।

ତୋ ଦର୍ଶନେ ପ୍ରାପ୍ତ ହେଲି ମହାଶିକ୍ଷା,

ହେଲୁ ମୋର ଗୁରୁ ନ ଦେଇ ତୁ ଦୀକ୍ଷା ।

ସେ ଗୁରୁଦକ୍ଷିଣା ରହିଯିବ ବାକୀ,

ରିକ୍ତ-ହସ୍ତେ ମୁହିଁ ଆସିବି ଏକାକୀ ।

ସେବା କରି ଶୁଝି ଦେବି ଦକ୍ଷିଣାକୁ,

ଅନୁମତି ଦିଅ ଘେନି ମୋର କାକୁ ।

ରହିଲି ମୁଁ ତରୁତଳେ ଜଗି ଜାଗି,

ତୋହ ସୁଖେ ଦୁଃଖେ ହୋଇ ସମଭାଗୀ ।

--ସମାପ୍ତ--